Unknown

 

 

 

 

 

 

 

 

 

 

ଭରସା

ଗୋପାଳ ଛୋଟରାୟ

 

ପରିଚୟ (Introduction)

 

ଓଡ଼ିଆ ନାଟ୍ୟ ସାହିତ୍ୟର ଜଣେ ଯଶସ୍ୱୀ ସ୍ରଷ୍ଟା ଗୋପାଳ ଛୋଟରାୟଙ୍କ ଦ୍ୱାରା ଲିଖିତ 'ଭରସା' କେବଳ ଏକ ନାଟକ ନୁହେଁ, ବରଂ ଏହା ମାନବୀୟ ସମ୍ବେଦନା ଏବଂ ଅତୁଟ ବିଶ୍ୱାସର ଏକ ସୁନ୍ଦର କଳାକୃତି । ଯଦି ଆପଣ ଜୀବନର ଘାତ-ପ୍ରତିଘାତ ମଧ୍ୟରେ ନିଜର ଆଦର୍ଶକୁ ବଞ୍ଚାଇ ରଖିବାର ସଂଘର୍ଷକୁ ଦେଖିବାକୁ ଚାହାନ୍ତି, ତେବେ ଏହି ବହିଟି ଆପଣଙ୍କ ପାଇଁ ଏକ ଶ୍ରେଷ୍ଠ ପସନ୍ଦ ହେବ । ୧୯୫୨ ମସିହାରେ ସର୍ବପ୍ରଥମେ ମଞ୍ଚସ୍ଥ ହୋଇଥିବା ଏହି ସାମାଜିକ ନାଟକଟି ତାର ସାହିତ୍ୟିକ ମୂଲ୍ୟବୋଧ ପାଇଁ ଆଜି ବି ପାଠକ ଓ ଦର୍ଶକଙ୍କୁ ବିମୋହିତ କରିଥାଏ ।

 

ଏହି ବହିର ମୁଖ୍ୟ ବିଷୟବସ୍ତୁ ଜଣେ ସ୍ୱାଭିମାନୀ ଶିଳ୍ପୀର ସଂଘର୍ଷ, ଜଣେ ସାହସୀ ନାରୀର ଆତ୍ମସମ୍ମାନ ଏବଂ ପରସ୍ପର ଉପରେ ଥିବା 'ଭରସା' ବା ବିଶ୍ୱାସ ଉପରେ ପର୍ଯ୍ୟବେସିତ । କାହାଣୀର ନାୟକ ମୋହନ ଜଣେ ଏମିତି ଚିତ୍ରଶିଳ୍ପୀ, ଯିଏ ଦାରିଦ୍ର୍ୟ ଓ ଅଭାବ ଅନଟନ ସତ୍ତ୍ୱେ ନିଜର କଳା ସହିତ କେବେ ବି ସାଲିସ କରେ ନାହିଁ । ଅନ୍ୟପଟେ ନାୟିକା ନୀଳା ହେଉଛନ୍ତି ଜଣେ ଦୃଢ଼ମନା ନାରୀ, ଯିଏ ନିଜର ସ୍ୱାଧୀନତା ଏବଂ ସମ୍ମାନ ରକ୍ଷା ପାଇଁ ସମାଜ ଓ ପରିବାରର ରକ୍ଷଣଶୀଳ ନିୟମ ବିରୁଦ୍ଧରେ ଠିଆ ହୁଅନ୍ତି ।

 

ବହିଟିର ପରିଚୟ ଦେବାକୁ ଗଲେ, ଏହା ଆମକୁ ଏକ ଏମିତି ଯାତ୍ରାରେ ନେଇଯାଏ ଯେଉଁଠି ଗୋଟିଏ ପଟେ କଟକର ଏକ ଛୋଟ ଅଖ୍ୟାତ ଗଳିର ଦରିଦ୍ର କୁଟୀର ଅଛି ଏବଂ ଅନ୍ୟପଟେ କଲିକତାର ଚାକଚକ୍ୟ ଭରା 'ବ୍ଲୁ ଭିଲ୍ଲା' କୋଠି ରହିଛି । ଏହି ଦୁଇଟି ପରିବେଶ ମଧ୍ୟରେ କାହାଣୀ ଏମିତି ଭାବେ ଗତିଶୀଳ ହୋଇଛି ଯେ, ପାଠକ ଜଣକ ଶେଷ ପର୍ଯ୍ୟନ୍ତ କୌତୂହଳର ସହ ବହିଟି ସହ ବାନ୍ଧି ହୋଇ ରହେ । ନାଟକଟି ସେହି ସମୟର ସମାଜର ଦୋଷ-ଦୁର୍ବଳତାକୁ ଖୁବ୍ ସୂକ୍ଷ୍ମ ଭାବେ ଦର୍ଶାଇବା ସହ ନୈତିକତାର ବିଜୟ ସମ୍ପର୍କରେ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥାଏ ।

 

ଏହି କାହାଣୀରେ କେବଳ ପ୍ରେମ ବା ସଂଘର୍ଷ ନାହିଁ, ବରଂ ଏଥିରେ ଥିବା କୁମାର ସାହେବଙ୍କ ପରି ଚରିତ୍ର ସମାଜର ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କ ଷଡ଼ଯନ୍ତ୍ରକୁ ଦର୍ଶାଉଥିବା ବେଳେ, ଆନନ୍ଦ ଓ ମୀର୍ଣ୍ଣା ଦେବୀଙ୍କ ପରି ଚରିତ୍ରମାନେ ଜୀବନରେ ମାନବିକତା ଏବଂ ସାହାଯ୍ୟର ଗୁରୁତ୍ୱକୁ ପ୍ରତିପାଦିତ କରନ୍ତି । ଶିଳ୍ପୀର ଆଦର୍ଶ ଏବଂ ତାକୁ କିଣିବା ପାଇଁ ଚାହୁଁଥିବା ବ୍ୟବସାୟୀଙ୍କ ମଧ୍ୟରେ ଯେଉଁ ଦ୍ୱନ୍ଦ୍ୱ, ତାହା ନାଟକକୁ ଏକ ଭିନ୍ନ ମୋଡ଼ ଦେଇଥାଏ ।

 

ଜଣେ ପାଠକ ଭାବରେ ଆପଣ ଅନୁଭବ କରିବେ ଯେ, 'ଭରସା' କେବଳ ଏକ ବହିର ଶୀର୍ଷକ ନୁହେଁ, ବରଂ ଏହା ଜୀବନ ବଞ୍ଚିବାର ଏକ ମନ୍ତ୍ର । ପରିସ୍ଥିତି ଯେତେ କଠିନ ହେଲେ ମଧ୍ୟ ଯଦି ମଣିଷ ପାଖରେ ନିଜ ଉପରେ ଏବଂ ନିଜର ସମ୍ପର୍କ ଉପରେ ବିଶ୍ୱାସ ଥାଏ, ତେବେ ସେ ନିଶ୍ଚୟ ସଫଳ ହେବ । ଏହି ପରିଚୟଟି ବହିର ଏକ କ୍ଷୁଦ୍ର ଝଲକ ମାତ୍ର, କିନ୍ତୁ ଏହାର ପ୍ରତିଟି ସଂଳାପ ଓ ଘଟଣାପ୍ରବାହ ଆପଣଙ୍କୁ ଏକ ନୂତନ ଅନୁଭୂତି ପ୍ରଦାନ କରିବ ।

 

ପୃଷ୍ଠଭୂମି

 

ଏହି ନାଟକର କଥାବସ୍ତୁ ସେହି ସମୟର ପୃଷ୍ଠଭୂମିରେ ଗଢ଼ିଉଠିଛି ଯେତେବେଳେ ସମାଜରେ ରକ୍ଷଣଶୀଳତା ଏବଂ ଆଧୁନିକତା ମଧ୍ୟରେ ଏକ ଅଦୃଶ୍ୟ ଦ୍ୱନ୍ଦ୍ୱ ଚାଲିଥିଲା । କାହାଣୀର ଆରମ୍ଭ କଟକ ସହରର ଏକ ସାଧାରଣ ବସ୍ତି ବା ଗଳିରୁ ହୋଇଛି । ମୋହନର ଦରିଦ୍ର କୁଟୀର, ଯେଉଁଠାରେ ସେ ଅଭାବ ଅନଟନ ମଧ୍ୟରେ ବି ନିଜର କଳା ସାଧନାରେ ମଗ୍ନ ରହେ, ତାହା ଶିଳ୍ପୀର ଆର୍ଥିକ ଅବସ୍ଥାକୁ ଦର୍ଶାଉଛି । ସେହି ସମୟରେ ନାରୀମାନଙ୍କ ପାଇଁ ଶିକ୍ଷା ଏବଂ ଚାକିରି କରିବା ଏତେ ସହଜ ନଥିଲା, ଯାହା ନୀଳାର ଚରିତ୍ର ମାଧ୍ୟମରେ ସ୍ପଷ୍ଟ ହୁଏ ।

 

ପରବର୍ତ୍ତୀ ସମୟରେ କାହାଣୀ କଟକରୁ ଯାଇ କଲିକତା ଭଳି ଏକ ବଡ଼ ସହରର ଚାକଚକ୍ୟ ଭିତରେ ପହଞ୍ଚିଛି । ଗୋଟିଏ ପଟେ ମୋହନର କୁଟୀର ଯେଉଁଠି ଆନ୍ତରିକତା ଅଛି, ଅନ୍ୟପଟେ କୁମାର ସାହେବଙ୍କ 'ବ୍ଲୁ ଭିଲ୍ଲା' ଯେଉଁଠି ପ୍ରାଚୁର୍ଯ୍ୟ ଅଛି କିନ୍ତୁ ଛଳନା ଓ ଷଡ଼ଯନ୍ତ୍ର ମଧ୍ୟ ଅଛି । ଏହି ଦୁଇଟି ପରିବେଶର ବୈଷମ୍ୟ ନାଟକକୁ ଅଧିକ ପ୍ରାସଙ୍ଗିକ ଏବଂ ରୋମାଞ୍ଚକର କରି ଗଢ଼ିତୋଳିଛି । ସମାଜର ବ୍ୟବସାୟୀକ ମନୋଭାବ କିପରି ଜଣେ ଶିଳ୍ପୀର କଳାକୁ କିଣିବା ପାଇଁ ଚେଷ୍ଟା କରେ ଏବଂ ଜଣେ ଅସହାୟ ନାରୀର ସୁଯୋଗ ନେବାକୁ ଚାହେଁ, ତାହା ଏହି ପରିପ୍ରେକ୍ଷ୍ୟରେ ଖୁବ୍ ନିଚ୍ଛକ ଭାବେ ଦର୍ଶାଯାଇଛି ।

 

ପ୍ରମୁଖ ପାତ୍ରମାନେ

 

ଗୋପାଳ ଛୋଟରାୟଙ୍କ ପ୍ରଣୀତ 'ଭରସା' ନାଟକର ଚରିତ୍ରଗୁଡ଼ିକର ସଂକ୍ଷିପ୍ତ ପରିଚୟ ନିମ୍ନରେ ପ୍ରଦାନ କରାଗଲା:

 

ମୋହନ: ସେ ହେଉଛନ୍ତି ନାଟକର ମୁଖ୍ୟ ନାୟକ । ଜଣେ ସ୍ୱାଭିମାନୀ ଓ ଆଦର୍ଶବାଦୀ ଚିତ୍ରଶିଳ୍ପୀ ଭାବେ ମୋହନ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଅତ୍ୟନ୍ତ ଅଭାବ ଅନଟନ ମଧ୍ୟରେ ଗତି କରୁଥିଲେ ମଧ୍ୟ ସେ ନିଜର କଳା ସାଧନାକୁ ପରିତ୍ୟାଗ କରନ୍ତି ନାହିଁ କିମ୍ବା କୌଣସି ପରିସ୍ଥିତିରେ ନିଜ ଆଦର୍ଶ ସହ ସାଲିସ କରନ୍ତି ନାହିଁ ।

 

ନୀଳା: ନାଟକର ମୁଖ୍ୟ ନାୟିକା ନୀଳା ଜଣେ ଅତ୍ୟନ୍ତ ସାହସୀ ଓ ସ୍ୱାଭିମାନୀ ନାରୀ । ଜଣେ ମଦ୍ୟପ ସହ ଅନିଚ୍ଛାକୃତ ବିବାହରୁ ନିଜକୁ ରକ୍ଷା କରିବା ପାଇଁ ସେ ମୋହନ ଉପରେ 'ଭରସା' ରଖି ତାଙ୍କ ପାଖକୁ ଚାଲିଆସନ୍ତି । ସେ ନିଜେ ମୋହନଙ୍କ ଚିତ୍ରର ମଡେଲ୍ ହୋଇ ଜୀବନର ନୂଆ ପଥ ଖୋଜିବାକୁ ଚେଷ୍ଟା କରନ୍ତି

 

କୁମାର ସାହେବ: କଲିକତାର ଜଣେ ଧନୀ ଓ ପ୍ରତିପତ୍ତିଶାଳୀ ବ୍ୟବସାୟୀ । ସେ ଜଣେ କଳାପ୍ରେମୀ ଭାବେ ନିଜକୁ ଦର୍ଶାଉଥିଲେ ମଧ୍ୟ ପ୍ରକୃତରେ ସେ ନୀଳାର ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ତାଙ୍କୁ ପାଇବା ପାଇଁ ବିଭିନ୍ନ ଷଡ଼ଯନ୍ତ୍ର କରନ୍ତି । ସେ ନିଜର ସମ୍ପତ୍ତି ଓ ପ୍ରତିପତ୍ତି ବଳରେ ମୋହନ ଓ ନୀଳାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ।

 

ଆନନ୍ଦ: ଆନନ୍ଦ ହେଉଛନ୍ତି ଜଣେ କୌତୁକିଆ କିନ୍ତୁ ଅତ୍ୟନ୍ତ ସହାୟକ ଚରିତ୍ର । ସେ ନାଟକର ବିଭିନ୍ନ ଘଟଣାକୁ ଯୋଡ଼ିବା ପାଇଁ ଜଣେ ସୂତ୍ରଧର ସଦୃଶ କାର୍ଯ୍ୟ କରନ୍ତି । କଠିନ ସମୟରେ ସେ ମୋହନ ଏବଂ ମୀର୍ଣ୍ଣା ଦେବୀଙ୍କୁ ସାହାଯ୍ୟ କରି କାହାଣୀରେ ଏକ ସନ୍ତୁଳନ ରକ୍ଷା କରନ୍ତି ।

 

ମୀର୍ଣ୍ଣା ଦେବୀ: କଲିକତାରେ ରହୁଥିବା ଜଣେ ଶିକ୍ଷିତା ଏବଂ ଉଦାରମନା ମହିଳା । ସେ କଲିକତାରେ ଅସହାୟ ଅବସ୍ଥାରେ ଥିବା ମୋହନଙ୍କୁ ସାହାଯ୍ୟର ହାତ ବଢ଼ାନ୍ତି । ପରବର୍ତ୍ତୀ ସମୟରେ ଜଣାପଡ଼େ ଯେ ସେ ହେଉଛନ୍ତି କୁମାର ସାହେବଙ୍କ ପରିତ୍ୟକ୍ତା ପତ୍ନୀ । ସେ ନାଟକର ଶେଷ ଭାଗରେ ମୋହନ ଓ ନୀଳାଙ୍କୁ ଏକାଠି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।

 

ମଧୁ ମହାରଣା: ନୀଳାର ବାପା । ଜଣେ ରକ୍ଷଣଶୀଳ ବ୍ୟକ୍ତି ଭାବେ ସେ ନିଜ ଝିଅକୁ ଜଣେ ମଦ୍ୟପ ସହ ବିବାହ ଦେବାକୁ ଜିଦ୍ ଧରିଥାନ୍ତି । କିନ୍ତୁ ନାଟକର ଶେଷରେ ସେ ନିଜର ଭୁଲ୍ ବୁଝିପାରନ୍ତି ।

 

କାହ୍ନୁ ମହାରଣା: ମଧୁ ମହାରଣାଙ୍କ ବନ୍ଧୁ ଏବଂ ଶଙ୍କରର ବାପା । ସେ ମଧ୍ୟ ନିଜ ପୁଅ ସହ ନୀଳାର ବିବାହ କରାଇବା ପାଇଁ ବହୁ ଚେଷ୍ଟା କରିଥାନ୍ତି ।

 

ଶଙ୍କର: କାହ୍ନୁ ମହାରଣାଙ୍କ ପୁଅ, ଯିଏ ଜଣେ ମଦ୍ୟପ ଯୁବକ । ତା’ ସହିତ ବିବାହ ସ୍ଥିର ହୋଇଥିବାରୁ ହିଁ ନୀଳା ଘର ଛାଡ଼ିବାକୁ ବାଧ୍ୟ ହୁଏ ।

 

ଭବାନୀ ଶଙ୍କର ମହାପାତ୍ର: ମୀର୍ଣ୍ଣା ଦେବୀଙ୍କ ବାପା । ସେ ଜଣେ ବୃଦ୍ଧ ଚରିତ୍ର, ଯାହାଙ୍କ ମାନସିକ ସ୍ଥିତି କିଛିଟା ଭିନ୍ନ ଧରଣର ।

 

ଷୋଡ଼ଶୀ (ଶ୍ୟାମା): ନାଟକର ଏକ ପାର୍ଶ୍ୱ ନାୟିକା, ଯିଏ ଶେଷ ଦୃଶ୍ୟରେ ମୋହନ ଓ ନୀଳାଙ୍କ ମିଳନ ସମୟରେ ଶଙ୍ଖଧ୍ୱନୀ କରି ଏକ ଶୁଭ ସୂଚନା ପ୍ରଦାନ କରନ୍ତି ।

 

ଅନ୍ୟାନ୍ୟ: ଏମାନଙ୍କ ବ୍ୟତୀତ ନାଟକରେ ରସୁ, ମୁକ୍ତା ଏବଂ ଚରଣଙ୍କ ପରି ଚରିତ୍ରମାନେ ମଧ୍ୟ ରହିଛନ୍ତି ।

 

ଏହି ସମସ୍ତ ଚରିତ୍ରଙ୍କ ମାଧ୍ୟମରେ ନାଟ୍ୟକାର ଗୋପାଳ ଛୋଟରାୟ ସମାଜର ଭିନ୍ନ ଭିନ୍ନ ରୂପକୁ ଅତି ଚମତ୍କାର ଭାବେ ଉପସ୍ଥାପନ କରିଛନ୍ତି ।

 

ବିଷୟବସ୍ତୁ

 

ନିମ୍ନରେ ଏହି ନାଟକର ଏକ ବିସ୍ତୃତ ସାରାଂଶ ପ୍ରଦାନ କରାଗଲା:

 

ନାଟକର କଥାବସ୍ତୁ ଜଣେ ଦରିଦ୍ର କିନ୍ତୁ ଆଦର୍ଶବାଦୀ ଶିଳ୍ପୀ ମୋହନ ଏବଂ ଜଣେ ସ୍ୱାଭିମାନୀ ନାରୀ ନୀଳାଙ୍କ ଜୀବନ ସଂଘର୍ଷକୁ ନେଇ ଗତିଶୀଳ । ନାଟକର ପ୍ରଥମ ଦୃଶ୍ୟ ମୋହନର ଦରିଦ୍ର କୁଟୀରରୁ ଆରମ୍ଭ ହୁଏ । କଟକ ସହରର କୌଣସି ଏକ ଅଖ୍ୟାତ ଗଳିରେ ମୋହନର ଘର । ମୋହନ ଜଣେ ଚିତ୍ରଶିଳ୍ପୀ, ଯିଏ ଅଭାବ ଅନଟନ ମଧ୍ୟରେ ରହି ମଧ୍ୟ ନିଜ କଳାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛି । ନିର୍ଜନ ପ୍ରହର ବାହାରେ ବର୍ଷା, ଭିତରେ ମୋହନ ଛବି ଆଙ୍କିବା ସହିତ ଗୁଣୁଗୁଣୁ ହୋଇ ଗୀତ ଗାଉଛି । ଏହି ସମୟରେ ନୀଳା ଘର ଭିତରକୁ ପ୍ରବେଶ କରି ସଙ୍ଗେ ସଙ୍ଗେ ଭିତରୁ କବାଟଟିକୁ ଜୋରରେ ବନ୍ଦ କରିଦେଇଛି, କବାଟ ବନ୍ଦ ହେବାର ଶବ୍ଦରେ ଚମକି ପଡ଼ିଛି ମୋହନ । ନୀଳାର ବାପା ମଧୁ ମହାରଣା, ତାକୁ ଜଣେ ମଦ୍ୟପ ଯୁବକ ଶଙ୍କର (କାହ୍ନୁ ମହାରଣାର ପୁଅ) ସହିତ ବିବାହ ଦେବାକୁ ଚାହୁଁଛନ୍ତି । ନୀଳା ଏହି ବିବାହକୁ ଅସ୍ୱୀକାର କରିଛି କାରଣ ସେ ପାଠ ପଢ଼ିଛି ଏବଂ ଚାକିରି କରିବାକୁ ଚାହୁଁଛି, କିନ୍ତୁ ବାପାଙ୍କ ରକ୍ଷଣଶୀଳତା ମନବୃତ୍ତି ପାଇଁ ସେ ନିଜ ଇଚ୍ଛାନୁଯାୟୀ କୌଣସି ଚାକିରି କରିପାରିଲା ନାହିଁ । ବର୍ତ୍ତମାନ ତାର ବାପା ଶଙ୍କର ଭଳି ଗୋଟିଏ ମଦ୍ୟପ ସହିତ ତାର ବିବାହ ସ୍ଥିର କରିଦେଇଛନ୍ତି । ତେଣୁ ନୀଳା ଏହାକୁ ବିରୋଧ କରି ମୋହନର ଆଶ୍ରୟ ନେବାକୁ ଆସିଛି, କାରଣ ତା’ର ମୋହନ ଉପରେ ଅଗାଧ 'ଭରସା' ଅଛି ।

 

ଏହି ସମୟରେ କଲିକତାର ଜଣେ ପ୍ରତିଷ୍ଠିତ ଓଡ଼ିଆ ବ୍ୟବସାୟୀ କୁମାର ସାହେବଙ୍କ ଏଜେଣ୍ଟ ଭାବରେ କାମ କରୁଥିବା ଆନନ୍ଦ ନାମକ ଜଣେ ବ୍ୟକ୍ତି ମୋହନ ପାଖକୁ ଆସନ୍ତି । କୁମାର ସାହେବ ଜଣେ କଳାପ୍ରିୟ ମଣିଷ, ସେ ଏକ ଜୀବନ୍ତ ଚିତ୍ର ମୋହନଠାରୁ କିଣିବାକୁ ଚାହୁଁଥାନ୍ତି । ମୋହନ ଚିନ୍ତା କରେ କିଏ ଏହି ଚିତ୍ର ପାଇଁ ମଡେଲ ହେବ ? ସବୁ ଆଶଙ୍କାର ସମାପ୍ତି ଘଟାଇ ନୀଳା ନିଜେ ମଡେଲ ହେବାକୁ ଆଗେଇ ଆସେ । ବମ୍ୱେ ଫେରନ୍ତା ଚିତ୍ରଶିଳ୍ପୀ ମୋହନ ନିଜ ପ୍ରାଣପ୍ରିୟା ନୀଳାର ଏକ ସୁନ୍ଦର ଚିତ୍ର ଅଙ୍କନ କରେ । କିନ୍ତୁ ତାର ମନରେ ପ୍ରଶ୍ନ ଉଠେ–ନିଜ ହାତରେ ନିଜ ପ୍ରେମିକାର ଛବି ଆଙ୍କି କୁମାର ସାହେବଙ୍କୁ ବିକି ପାରିବ ତ ? ନିର୍ଦ୍ଦିଷ୍ଟ ତାରିଖରେ କୁମାର ସାହେବ ଆସନ୍ତି ଏବଂ ମୋହନର ଅଙ୍କିତ ନୀଳାର ଚିତ୍ରଟିକୁ ଦେଖି ବିମୋହିତ ହୋଇ ନୀଳା ପ୍ରତି ଆକୃଷ୍ଟ ହୁଅନ୍ତି । ତେବେ ମୋହନ ନିଜର ଶିଳ୍ପୀ ସ୍ୱାଭିମାନ ଓ ନୀଳାର ସମ୍ମାନ ରକ୍ଷା କରିବାକୁ ଯାଇ କୁମାର ସାହେବଙ୍କ ସହ ମତଭେଦ କରେ । କିନ୍ତୁ ପରକ୍ଷଣରେ ନୀଳାର ଜିଦ୍‍ ଏବଂ ବାଧ୍ୟବାଧକତା ଆଗରେ ନଇଁଯାଇ, ଶେଷରେ ଦୁଃଖରେ ମିୟମାଣ ହୋଇ ଛବିଟିକୁ ଛାତିରେ ଚାପିଧରି ବାହାରିଯାଏ ପଦାକୁ––ଛବିଟିକୁ କୁମାର ସାହେବଙ୍କୁ ବିକ୍ରି କରିବା ପାଇଁ । ମାସ ପରେ ମାସ ବିତିଗଲେ ମଧ୍ୟ ମୋହନ ଆସେନାହିଁ, ସେ କଲିକତା ଯାତ୍ରା କରେ । ନୀଳା କିନ୍ତୁ ତାର ଗଭୀର ଆତ୍ମବିଶ୍ୱାସ ପ୍ରେମ ଏବଂ ଭଲପାଇବାକୁ ନେଇ ମୋହନର ଫରିବା ବାଟକୁ ଅପେକ୍ଷା କରେ । ମଧୁ ମହାରଣା ଝିଅର ଭବିଷ୍ୟତକୁ ନେଇ ହତାଶ ହୋଇ ପଡ଼ନ୍ତି ଏବଂ ନୀଳାର ବିବାହ ଶଙ୍କର ମହାରଣା ସହିତ କରବା ପାଇଁ ଠିକ୍‍ କରନ୍ତି । ଶଙ୍କର ମଧ୍ୟ ନୀଳାକୁ ବିବାହ କରିବ ବୋଲି ଏକଜିଦ୍‍ ଧରି ବସେ । କିନ୍ତୁ ନୀଳା ବାହାଘରକୁ ପ୍ରତ୍ୟାକ୍ଷାନ କରି ନିଜର କର୍ମ ସଂସ୍ଥାନ ଯୋଗାଡ଼ କରିବାରେ ସଫଳ ହୁଏ ଏବଂ ବାପା ମଧୁ ମହାରଣାଙ୍କ ସକଳ ଅନିଚ୍ଛା ସତ୍ତ୍ୱେ କଟକର ତୁଳସୀପୁର ସ୍ଥିତ ଧନାଢ଼୍ୟ ଭଦ୍ରମହିଳା ଶ୍ରୀମତୀ ଚନ୍ଦ୍ରା ଦେବୀଙ୍କ ଘରେ ଗୃହଶିକ୍ଷୟିତ୍ରୀ ଭାବେ ଯୋଗ ଦିଏ ଏବଂ ତା’ର ପରିବାର ଓ ସମାଜରୁ ବିତାଡ଼ିତ ହୁଏ । ନୀଳା ଘରୁ ଗୋଡକାଢ଼ି ଚାକିରିକି ଚାଲିଯିବାଟା ଯେତିକି ମଧୁ ମହାରଣାଙ୍କୁ ବାଧି ନାହିଁ, ବେଶି ବାଧିଛି ଶଙ୍କରର ବାପା କାହ୍ନୁ ମହାରଣାଙ୍କୁ । କାରଣ କାହ୍ନୁ ମହାରଣା ଭରସା କରିଥିଲେ–ଆଜି ନହେଲେ ବି କାଲି ସେ ନୀଳା ସହିତ ଶଙ୍କରର ବିବାହ ନିଶ୍ଚୟ କରିବେ । ଅନ୍ୟପଟରେ ମୋହନ ସିନା ଶଙ୍କର, ନୀଳା ମଧୁ ମହାରଣା ଓ କାହ୍ନୁ ମହାରଣାଙ୍କ ପାଇଁ ନିରୁର୍ଦ୍ଦିଷ୍ଟ କିନ୍ତୁ ସତରେ ସେ ଏବେ କୋଉଠି ।

 

କଲିକତାରେ ନାଟକର ଦୃଶ୍ୟପଟ ପରିବର୍ତ୍ତିତ ହୁଏ । ମୋହନ ସେଠାରେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଥାଏ । ସେଠାରେ ସେ ମୀର୍ଣ୍ଣା ନାମକ ଜଣେ ଯୁବତୀ ଏବଂ ତାଙ୍କ ବାପା ଭବାନୀ ଶଙ୍କର ମହାପାତ୍ରଙ୍କ ସଂସ୍ପର୍ଶରେ ଆସେ । ମୀର୍ଣ୍ଣା ଜଣେ ଶିକ୍ଷିତା ଓ ଦୟାଳୁ ମହିଳା, ଯିଏ ମୋହନର ଶିଳ୍ପକଳାକୁ ସମ୍ମାନ କରନ୍ତି ଏବଂ କଲିକତା ସହରରେ ଉଭୟ ଓଡ଼ିଆ ହେତୁ ପରସ୍ପରକୁ ବନ୍ଧୁ ତଥା ହିତାକାଂକ୍ଷୀଭାବେ ଗ୍ରହଣ କରିନେଇଛନ୍ତି ।

 

ଅପରପକ୍ଷରେ ନୀଳା ପ୍ରଥମେ କଟକରେ ଶ୍ରୀମତୀ ଚନ୍ଦ୍ରା ଦେବୀଙ୍କ ଘରେ ଯେଉଁ ଚାକିରି ଆରମ୍ଭ କରିଥିଲା ସେ ଖୁବ୍‍ ନିର୍ମମ ଭାବେ ଠକି ଯାଇଛି । କୁମାର ସାହେବଙ୍କ ପ୍ରରୋଚନାରେ ଚନ୍ଦ୍ରା ଦେବୀ ନୀଳାକୁ କଟକରୁ ନେଇଆସି କଲିକତାରେ ଥିବା କୁମାର ସାହେବଙ୍କ କୋଠି ‘ବ୍ଲୁ ଭିଲ୍ଲା’ରେ ରଖିଛନ୍ତି । ଏ ସମସ୍ତ ଷଡଯନ୍ତ୍ର ନୀଳ ଜାଣି ପାରିଥିଲେ ହେଁ, ପରିସ୍ଥିତି ଦୃଷ୍ଟିରୁ ସେ ଚୁପ୍‍ ରହିଛି ଏବଂ କୁମାର ସାହେବଙ୍କ ଲୋଲୁପ ଦୃଷ୍ଟିରୁ ନିଜକୁ ବଞ୍ଚାଇ ରଖିବା ପାଇଁ ଦିନରାତି ମୃଗଛାଲ ଉପରେ ବସି ପୂଜାରିଣୀଟିଏ ପରି ଧର୍ମ, କର୍ମ, ପୂଜା, ତପସ୍ୟା ଆଦି କର୍ମରେ ନିଜକୁ ହଜାଇ ଦେଇଛି । କିନ୍ତୁ କୁମାର ସାହେବ ଚୁପ ରୁହନ୍ତି ନାହିଁ, ସୁଯୋଗ ଉଣ୍ଡି ନିଜର ମନକଥା ପ୍ରକାଶ କରିବା ସହିତ ନୀଳା ପ୍ରତି ପ୍ରେମ ନିବେଦନ କରୁଥାନ୍ତି ।

ଦିନେ କଲିକତାର କୌଣସି ଏକ ଫାଇନ ଆର୍ଟ ଏକଜିବିସନରେ ମୋହନ ନିଜର ଅନେକ ଗୁଡ଼ିଏ ଛବି ବିକ୍ରି କରିବା ଉଦ୍ଦେଶ୍ୟରେ ସଜାଇ ରଖିଥିବା ବେଳେ, ନୀଳାର ଛବିଟିକୁ ମଧ୍ୟ ସଜାଇ ରଖିଥିଲା କେବଳ ଶୋଭା ବର୍ଦ୍ଧନ ପାଇଁ । କିନ୍ତୁ ଆଶ୍ଚର୍ଯ୍ୟ ! ହଠାତ୍‍ ଦିନେ କୁମାର ସାହେବ ସେଇ ଛବିଟିକୁ ସମସ୍ତଙ୍କ ଅଲକ୍ଷ୍ୟରେ ଲୁଚାଇ ଆଣି ବ୍ଲୁ ଭିଲ୍ଲା କୋଠିରେ ସଜାଇ ରଖନ୍ତି । ବ୍ଲୁ ଭିଲ୍ଲା କୋଠିରେ ଯେତେବେଳେ ନୀଳା ସେ ଛବିଟିକୁ ଦେଖିଛି ତାର ବିସ୍ଫାରିତ ଆଖିରୁ ଗଡ଼ି ଆସିଛି ଧାରଧାର ଲୁହ । ମୋହନକୁ ନେଇ ତାର ସମସ୍ତ ଗର୍ବ ଭାଙ୍ଗିଯାଇଛି । ମୋନହ କେବଳ ଛବିଟିକୁ ବିକିନାହିଁ, ବିକି ଦେଇଛି ତା’ର ପ୍ରାଣର ନୀଳାକୁ ।

ପରେ ପରେ ଛବିଟିର ସନ୍ଧାନ ପାଇ ବ୍ଲୁ ଭିଲ୍ଲାକୁ ପ୍ରଚଣ୍ଡ ଝଡ଼ ବେଗରେ ମୋହନର ଆଗମନ ଘଟିଛି । ସେ ଛବିଟିକୁ ଫେରାଇ ଦେବା ପାଇଁ କୁମାର ସାହେବଙ୍କୁ ନିବେଦନ କରିଛି । ମୋହନ ଓ କୁମାର ସାହେବଙ୍କ ମଧ୍ୟରେ ମାନସିକ ଓ ନୈତିକ ଲଢ଼େଇ ହୋଇଛି । କୁମାର ସାହେବ ନୀଳାର ଭିକ୍ଷା ମାଗିଛନ୍ତି ମୋହନ ପାଖରୁ । ଠିକ୍‍ ଏତିକିବେଳେ ନୀଳା ଆସିଛି ଏକ ସମ୍ପୂର୍ଣ୍ଣ ଭିନ୍ନ ବେଶଭୂଷାରେ । ପାଟଶାଢ଼ି ପରିହିତା ଅଳଙ୍କାରରେ ସୁସଜ୍ଜିତା ନୀଳାକୁ ଦେଖି ନିଜକୁ ବିଶ୍ୱାସ କରିପାରୁନାହିଁ । ଏହି ସମୟରେ କୁମାର ସାହେବ ଛବିଟିର ମଲ୍ୟ ବାଦକୁ ପାଞ୍ଚହଜାର ଟଙ୍କା ମୋହନ ହାତକୁ ବଢ଼ାଇ ଦେଇଛନ୍ତି । ମାତ୍ର ମୋହନ ଟଙ୍କା ଗ୍ରହଣ ନ କରି ନୀରବରେ ସେ ସ୍ଥାନ ଛାଡ଼ି ଫେରି ଯାଉଥିବା ବେଳେ ପଛରୁ ନୀଳାର କଟାକ୍ଷ ଶବ୍ଦ––ମୁଁ ଜାଣେ ଛବିଟା ବିନା ମୂଲ୍ୟରେ ତମେ ମତେ ହଁ ଦେଇଯାଉଛ । କିନ୍ତୁ ତୁମପରି ଜଣେ ଦରିଦ୍ର, କାଙ୍ଗାଳ ଶିଳ୍ପୀଠାରୁ ବିନା ମୂଲ୍ୟରେ ରଖିବାକୁ ମୁଁ ଆଦୌ ପ୍ରସ୍ତୁତ ନୁହେଁ । ଏହାଶୁଣି ମୋହନ ଚେକ୍‍ଟିକୁ ଧରି ଘରୁ ବାହାରି ଯାଇଛି ଅଭିମାନରେ । ଘୂରି ଘୂରି ଦୁଇଦିନ ପରେ ପହଞ୍ଚି ଯାଇଛି ମୀର୍ଣ୍ଣା ଦେବୀଙ୍କ ଘରେ । ସମସ୍ତ କଥା ମୀର୍ଣ୍ଣା ଦେବୀଙ୍କ ଆଗରେ ପ୍ରକାଶ କରିଛି ଏବଂ ଜାଣିବାକୁ ପାଇଛି ଯେ ମୀର୍ଣ୍ଣାଦେବୀ ହେଉଛନ୍ତି କୁମାର ସାହେବଙ୍କ ପରିତ୍ୟକ୍ତା ସ୍ତ୍ରୀ । ନିଜକୁ ପୃଥିବୀର ସର୍ବଶ୍ରଷ୍ଠ ନିରୀହ, ନିର୍ବୋଧଟିଏ ଭାବି ତିରସ୍କାର କରିବା ପୂର୍ବକ ବିଦୃପର ହସଟିଏ ଦେଇ ମୋହନ ସେଠାରୁ ପଳାଇ ଯାଇଛି ।

ହଠାତ୍‍ ଏ ପୁଣି କିଏ ? କାଉ ରଡ଼ିଲା ବେଳକୁ ତାଳ ପଡ଼ିଲା ପରି–କୋଉଠି ଥିଲେ ଆନନ୍ଦ ରାୟ ! ଆକସ୍ମିକ ଭାବେ ମୀର୍ଣ୍ଣାଦେବୀଙ୍ ଘରେ ଉପସ୍ଥିତ ହେଲେ । ଆନନ୍ଦ ରାୟ ବହୁ ବର୍ଷ ପୂର୍ବରୁ କୁମାର ସାହେବ ଚଞ୍ଚକତା କରି ନେଇଥିବା ବ୍ଲୁ ଭିଲ୍ଲା ସମେତ ମିଷ୍ଟର ମହାପାତ୍ରଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଫେରାଇ ଦେବାକୁ ଆସିଛିନ୍ତି ମୀର୍ଣ୍ଣାଦେବୀଙ୍କୁ । ଏହା ଦେଖି ଆହାତ ସର୍ପିଣୀ ପରି ମୀର୍ଣ୍ଣାଦେବୀ ପହଞ୍ଚି ଯାଇଛନ୍ତି ବ୍ଲ ଭିଲ୍ଲାରେ । ହୃଦୟର ସମସ୍ତ କ୍ରୋଧକୁ ଆୟତ୍ତ କରୁ କରୁ କୁମାର ସାହେବଙ୍କୁ ନିଜର ସମସ୍ତ ସମ୍ପତ୍ତି ଫରାଇ ନେଇ ନୀଳାକୁ ବିବାହ ନ କରିବା ପାଇଁ ଅନୁରୋଧ କରୁଛନ୍ତି । କୁମାର ସାହେବ କହିଛନ୍ତି–ନୀଳା ବ୍ଲୁ ଭିଲ୍ଲାରେ ଦୀର୍ଘ ଛଅମାସ ବନ୍ଦିନୀ ଅବସ୍ଥାରେ ରହିବା ପରେ ଯେଉଁଦିନ ପ୍ରଥମ କରି ବିବାହ କରିବାକୁ ସମ୍ମତି ଦେଲା–ସେଦିନ ସେ ସ୍ମୃତି ସ୍ୱୀରୂପ ଏକ ହୀରାମୁଦି ନୀଳାକୁ ଉପହାର ଦେଇଥିଲେ । ନୀଳା ଉପହାର ବିନିମୟରେ ଏକ ଚିଠି କୁମାର ସାହେବଙ୍କୁ ଦେଇଛି ଯେଉଁଥିରେ ସେ ମୃତ୍ୟୁକୁ ବରଣ କରିଥିବା କଥା ଲେଖିଛି ।

ଚିଠିଟିକୁ ପଢ଼ି ମୀର୍ଣ୍ଣାଦେବୀ କୁମାର ସାହେବଙ୍କୁ ନୀଳା ମୃତ୍ୟୁର ଦୋଶୀ ସାବ୍ୟସ୍ତ କରି ନୀଳା ରହୁଥିବା କୋଠରୀକୁ ପ୍ରବେଶ କରିଛି । ଏହି ସମୟରେ ବାହାରୁ ଝଡ଼ ବେଗର ମୋହନର ପ୍ରବେଶ ହୋଇଛି ସାଥିରେ ଆନନ୍ଦ ରାୟ । ମୋହନ ପ୍ରତିଶୋଧ ପରାୟଣ ହୋଇ ନୀଳାର ମୃତ୍ୟୁପାଇଁ କୁମାର ସାହେବଙ୍କ ଦାୟୀ କରିବା ସହିତ ପାଞ୍ଚ ହଜାର ଟଙ୍କା ଚେକ୍‍ଟି ଫେରାଇ ଦେଇ ନୀଳା ଶେଷ ସ୍ମୃତି ସ୍ୱରୂପ ଛବିଟିକୁ ନେବାପାଇଁ ଚାହିଁଚି । କୁମାର ସାହେବ ମୋହନକୁ କିଛି ସମୟ ଅପେକ୍ଷା କରିବା ପାଇଁ କହି ନୀଳା ରହୁଥିବା କୋଠରୀକୁ ଯାଇଛନ୍ତି ଏବଂ ସେଠାରୁ ମୀର୍ଣ୍ଣା ସହିତ ନୀଳାକୁ ଧରି ଆସିଛନ୍ତି ।

କିନ୍ତୁ ହୀରା ମୁଦିର ଗୁଣ୍ଡ ଖାଇ ନୀଳା ବଞ୍ଚିବ କେମିତି ? ଏଇ ପ୍ରଶ୍ନର ଉତ୍ତର ଖୁବ୍‍ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି କୁମାର ସାହେବ । ପରିସ୍ଥିତରେ ଚାପରେ ନୀଳା ସେଦିନ ନିରୁପାୟ ହୋଇ ବିବାହ କରିବାକୁ ପ୍ରତିଶୃତି ଦେବା ଯେମିତି ଥିଲା, କୁମାର ସାହେବଙ୍କ ପାଇଁ ପ୍ରତାରଣା––ସେହିପରି ଅସଲି ହୀରା ମୁଦି ବଦଳରେ ନକଲି ହୀରାମୁଦି ଉପହାରଟି ଥିଲା କୁମାର ସାହେବଙ୍କର ପ୍ରତାରଣା । ନକଲି ହୀରାଗୁଣ୍ଡ ଖାଇ ବିଚାରୀ ନୀଳା, ମରିବାର ଦୃଢ଼ ସଂକଳ୍ପ ନେଇ ରାତିସାରା ଖାଲି ଶୋଇ ଯାଇଥିଲା ସିନା କିନ୍ତୁ ସକାଳକୁ ଉଠିଥିଲା ଖୁବ୍‍ ସ୍ୱାଭାବିକ ଭାବେ । ସମସ୍ତ ଦ୍ୱନ୍ଦ୍ୱର ପରିସମାପ୍ତି ଘଟିଛି । ମୋହନ ଓ ନୀଳାର ଚିରଦିନର ସମ୍ପର୍କ ଅତୁଟ ବୋଲି ମୀର୍ଣ୍ଣା ଦେବୀ କହିବା ପରେ ଉପର ମହଲାରେ ଥାଇ ଶଙ୍ଖ ଧ୍ୱନୀ କରିଛି ନାଟକର ଅନ୍ୟଏକ ପାର୍ଶ୍ୱ ନାୟିକା–ଷୋଡ଼ଶୀ ।

ନାଟକର ଶେଷରେ ମଧୁ ମହାରଣା ମଧ୍ୟ ନିଜର ଭୁଲ୍ ବୁଝି ନୀଳାକୁ ଗ୍ରହଣ କରନ୍ତି । ଶିଳ୍ପୀ ମୋହନକୁ ନିଜର ଶ୍ରେଷ୍ଠ କୃତି ପାଇଁ ସମ୍ମାନ ମିଳେ ଏବଂ ନୀଳା ଓ ମୋହନଙ୍କ ସମ୍ପର୍କ ଏକ ନୂତନ ଗୌରବ ଲାଭ କରେ ।

ଉପସଂହାର

'ଭରସା' ନାଟକ ଏକ ସୁନ୍ଦର କଳାକୃତି ହେବା ସହ ଏହା ସମାଜର ବିଭିନ୍ନ ଦୋଷ-ଦୁର୍ବଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରେ । ମୋହନ ଓ ନୀଳାଙ୍କ ସଂଘର୍ଷମୟ ଜୀବନରେ 'ଭରସା' ହିଁ ଏକମାତ୍ର ସମ୍ବଳ ହୋଇ ରହିଛି । ଗୋପାଳ ଛୋଟରାୟ ଏହି ନାଟକ ମାଧ୍ୟମରେ ସନ୍ଦେଶ ଦେଇଛନ୍ତି ଯେ, ପରିସ୍ଥିତି ଯେତେ କଠିନ ହେଲେ ବି ବିଶ୍ୱାସ ଓ ସାହସ ସହ ଲଢ଼ିଲେ ମଣିଷ ନିଶ୍ଚୟ ସଫଳ ହେବ । ଏହି ନାଟକ ଆଜି ମଧ୍ୟ ଆଧୁନିକ ଓଡ଼ିଆ ସମାଜ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ-

Image